ଜ୍ୟୋତ୍ସ୍ନା,
କାହା ପାଇଁ ଶୀତଳ
କାହା ପାଇଁ ଝାସ,
କଥା ସମୟର
ସମୟର ଖେଳର
ବନ୍ଧନରୁ ଯାହାର,
କେହି ନାହିଁ ମୁକ୍ତ,
ନା ତୁ ସଖୀ, ନା ମୁଁ।
ଦେଖୁନୁ,
ନଈପଠା ବାଲି, ସମୁଦ୍ରକୂଳ,
ଝର୍କାର, ଭଙ୍ଗା ଦର୍ପଣର କାଚ,
ପୁରୁଣା କୁଣ୍ଡର ପାଣି,
ଜାମୁକୋଳି ଗଛମୂଳର ଛୋଟିଆ ପୋଖରୀ,
ଝଲସି ଯାଆନ୍ତି ସବୁ,
ଜ୍ୟୋତ୍ସ୍ନାରେ।
କିନ୍ତୁ!
ଅଧା ଗଢ଼ା ବାଲିଘର,
ପିଣ୍ଡାରେ ଭଙ୍ଗାରୁଜା ଖେଳଣା,
ଅଗଣାରେ ମରିଯାଇଥିବା ଗେଣ୍ଡୁ ଗଛ,
ଗାଁ ମୁଣ୍ଡର ପୁରୁଣା କୂଅ,
ଜହ୍ନ ଆଲୁଅରେ
ଚୁପଚାପ
ଝରାନ୍ତି ଯେମିତି
ଅଦେଖା ଲୁହ!!
ପୁଣି,
ଆଗତ ମିଳନର
କଳ୍ପନା ବର୍ଷାରେ
ଯେ ଭିଜେ
ତା ପାଇଁ ଜହ୍ନ ଆଲୁଅ
ଚିରକାଳ ସ୍ମୃତି,
ଆଉ ବିରହରେ ଯେ ଭଙ୍ଗା,
ଜହ୍ନ ଥିଲେ ବି,
ଆକାଶ ଯା’ର କଳା,
ତା’ ପାଇଁ ଜହ୍ନ ଆଲୁଅ
ଏକ ଅଜଣା ନିଆଁର ଅସହ୍ୟ ତାତି!!
ବୁଝିଲୁ ସଖୀ?
ଏଇ ଜ୍ୟୋତ୍ସ୍ନା,
କାହା ପାଇଁ ଶୀତଳ,
କାହା ପାଇଁ ଝାସ,
କିଏ ବା ଜାଣିଛି,
ସମୟର ସବୁ ରୀତି,
ନୀତି,
ସେ ରୀତିନୀତିର ବନ୍ଧନରୁ
ନା ତୁ ମୁକ୍ତ, ସଖୀ, ନା ମୁଁ।